ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନ୍ବର୍ଗ ସଙ୍ଗିନ ଅଭିଯୋଗ କରିବା ପରେ କଂପାନି ଅଡ଼ୁଆରେ ପଡ଼ିଥିବା ବେଳେ ଗୌତମ ବିପୁଳ ପରିମାଣ ସମ୍ପତ୍ତି ହରାଇଛନ୍ତି। ଏହି ଘଟଣା ପୁଣି ଥରେ ମରିସସ୍ର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛୋଟିଆ ଦ୍ବୀପ ଦେଶ ମରିସସ୍କୁ ଟିକସ ଠକେଇ ଓ ମନି ଲଣ୍ଡରିଂର ସ୍ବର୍ଗ ବୋଲି କୁହାଯାଉଛି। ନିଜ ଭାବମୂର୍ତ୍ତିକୁ ସୁଧାରିବା ଲାଗି ଏହି ଦେଶ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହେଉନାହିଁ। ଆଦାନି ଘଟଣାରେ ହିଣ୍ଡେନ୍ବର୍ଗ ଅଭିଯୋଗ କରିଥିଲା ଯେ ମରିସସ୍ରେ ଥିବା ୩୮ ସଂସ୍ଥା ସହ ଗୌତମଙ୍କ ଭାଇ ବିନୋଦ ଆଦାନିଙ୍କ ସମ୍ପର୍କ ରହିଛି। ସେହି ସଂସ୍ଥାଗୁଡ଼ିକ ଜରିଆରେ ମରିସସ୍ରୁ ଭାରତକୁ ପାଣ୍ଠି ପଠାଯାଉଥିଲା। ସେହି ପାଣ୍ଠିକୁ ବ୍ୟବହାର କରି ଆଦାନି କଂପାନିଗୁଡ଼ିକର ସେୟାର କିଣାଯାଉଥିଲା ଓ ସେୟାର ମୂଲ୍ୟକୁ ବଢ଼ାଇଦିଆଯାଉଥିଲା। ସେଥିପାଇଁ ଆଦାନି ଏଣ୍ଟରପ୍ରାଇଜେସ୍ ଭଳି ସଂସ୍ଥାର ସେୟାର ମୂଲ୍ୟ ୨୬୦୦ ପ୍ରତିଶତ ଭଳି ବୃଦ୍ଧି ହୋଇଥିବା କୁହାଯାଉଛି।
ନବେ ଦଶକ ପରଠାରୁ ଭାରତୀୟ କର୍ପୋରେଟ୍ ଜଗତରେ ଘଟିଥିବା ବହୁ ଘଟଣା ସହ ମରିସସ୍ର ସମ୍ପର୍କ ରହିଛି। ଷ୍ଟକ୍ ବ୍ରୋକର କେତନ୍ ପାରେଖ୍ ମରିସସ୍ର ଜାଲ୍ କଂପାନି ଜରିଆରେ ଭାରତକୁ ପାଣ୍ଠି ଆଣୁଥିଲେ ବୋଲି ଅଭିଯୋଗ ହୋଇଥିଲା। ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ସେହି ସେହି କାର୍ଯ୍ୟରେ ଲିପ୍ତ ଥିଲେ। ୨୦୦୮ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସରକାରୀ ହେଲିକପ୍ଟର ଚୁକ୍ତିରେ ହୋଇଥିବା କିକ୍ବ୍ୟାକ୍ କାରବାର ପଛରେ ମରିସସ୍ ସ୍ଥିତ ଏକ ସଂସ୍ଥାର ନାମକୁ ତଦନ୍ତ ଏଜେନ୍ସିଗୁଡ଼ିକ ଯୋଡ଼ିଥିଲେ। ୨୦୦୮ରେ ହୋଇଥିବା ୨ଜି ସ୍ପେକ୍ଟ୍ରମ ନିଲାମ ବେଳେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ମରିସସ୍ର ଡଜନେରୁ ଅଧିକ ସଂସ୍ଥା ଏହି ଦୁର୍ନୀତିରେ ସାମିଲ ରହିଛନ୍ତି। ୨୦୧୦ରେ ଆରମ୍ଭ ହୋଇଥିବା ଭାରତୀୟ ଆର୍ଥିକ ଅପରାଧ ତଦନ୍ତରୁ ମରିସସ୍ ସ୍ଥିତ କଂପାନିଗୁଡ଼ିକ ଜରିଆରେ କ୍ରିକେଟ୍-ଶିଳ୍ପ ଜଗତ ମଧ୍ୟରେ ମନି ଲଣ୍ଡରିଂ ହେଉଥିବା ଜଣାପଡ଼ିଥିଲା।