ଆମେରିକାରୁ ୟୁରୋପ ପହଞ୍ଚିଲା ବ୍ୟାଙ୍କ ସଙ୍କଟ

Share this :

ନୂଆଦିଲ୍ଲୀ: ଆମେରିକାରୁ ଆରମ୍ଭ ହୋଇଥିବା ବ୍ୟାଙ୍କ ସଙ୍କଟ ସ୍ବିଜରଲ୍ୟାଣ୍ଡ୍‌ରେ ପହଞ୍ଚିଛି। ସ୍ବିଜରଲ୍ୟାଣ୍ଡ୍‌ର ଦ୍ବିତୀୟ ବଡ଼ ବ୍ୟାଙ୍କ କ୍ରେଡିଟ୍‌ ସୁଇସ୍‌ ବୁଡ଼ିବା ଅବସ୍ଥାରେ ରହିଛି। ଏହାକୁ ଉଦ୍ଧାର କରିବା ଲାଗି ସ୍ବିଜରଲ୍ୟାଣ୍ଡ୍‌ ସରକାର ଆଗେଇ ଆସିଛନ୍ତି। ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ କ୍ରେଡିଟ୍ ସ୍ବିସ୍‌କୁ ୫୪୦୦ କୋଟି ଡଲାର ଋଣ ଦେବାକୁ ରାଜି ହୋଇଛି। ଏହି ଖବର ଜଣାପଡ଼ିବା ପରେ ବ୍ୟାଙ୍କର ସେୟାର ମୂଲ୍ୟରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଗତକାଲି ବ୍ୟାଙ୍କର ସେୟାର ମୂଲ୍ୟରେ ୩୦ ପ୍ରତିଶତ ଭଳି ହ୍ରାସ ଘଟିବା ପରେ ଏହି ବ୍ୟାଙ୍କ ବୁଡ଼ିବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଥିଲେ। ସ୍ବିଜରଲ୍ୟାଣ୍ଡ୍‌ କେନ୍ଦ୍ରୀୟ ବ୍ୟାଙ୍କ ଋଣ ଦେବାକୁ ରାଜି ହୋଇଥିବାରୁ କ୍ରେଡିଟ୍ ସ୍ବିସ୍‌ ସଙ୍କଟ ସାମୟିକ ସମୟ ପାଇଁ ଟଳିଯାଇଛି ବୋଲି କୁହାଯାଇପାରିବ।

Credit Suisse promotes 177 to MD — here are the names - Financial News
ଗତ ସପ୍ତାହରେ ତିନି ଦିନ ଭିତରେ ଆମେରିକାର ଦୁଇଟି ବ୍ୟାଙ୍କ ସିଲିକନ୍ ଭାଲି ବ୍ୟାଙ୍କ (ଏସ୍‌ଭିବି) ଓ ସିଗ୍ନେଚର ବ୍ୟାଙ୍କ ବୁଡ଼ିଯାଇଥିଲା। ଦରଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ବିଶ୍ବବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧରେ ବାରମ୍ବାର ବୃଦ୍ଧି କରୁଥିବାରୁ ବ୍ୟାଙ୍କଗୁଡ଼ିକ ଲାଗି ତାହା ଘାତକ ସାବ୍ୟସ୍ତ ହୋଇଛି। ତାହାର ସିଧାସଳଖ ପ୍ରଭାବରେ ଆମେରିକାରେ ଦୁଇଟି ବ୍ୟାଙ୍କ ବିଫଳ ହୋଇଥିବା ବେଳେ କ୍ରେଡିଟ୍ ସୁଇସ୍‌ ବୁଡ଼ିବାର ଦ୍ବାରଦେଶରେ ରହିଛି। ଅର୍ଥାଭାବ ସମସ୍ୟା ଦେଇ ଗତି କରୁଥିବା କ୍ରେଡିଟ୍‌ ସୁଇସ୍‌କୁ ନୂଆ ପାଣ୍ଠି ଦେବା ଲାଗି ଏହାର ବଡ଼ ଅଂଶଧନକାରୀ ସାଉଦି ନ୍ୟାସନାଲ୍ ବ୍ୟାଙ୍କ ମନା କରିଦେବା ପରେ ଚିନ୍ତା ବଢ଼ିଯାଇଥିଲା। ମାତ୍ର କୌଣସି ପ୍ରକାରରେ ଏହି ବ୍ୟାଙ୍କ ସ୍ବିଜରଲ୍ୟାଣ୍ଡ୍‌ କେନ୍ଦ୍ରୀୟ ବ୍ୟାଙ୍କଠାରୁ ଋଣ ପାଇ ନିଜକୁ କିଛି ଦିନ ବଞ୍ଚାଇ ରଖିବା ଉଦ୍ୟମରେ ସଫଳ ହୋଇଛି।

ଶେଷ ଥର ପାଇଁ ୨୦୦୮ରେ ବିଶ୍ବସ୍ତରୀୟ ବଡ଼ ବ୍ୟାଙ୍କ ଲେହମ୍ୟାନ୍‌ ବ୍ରଦର୍ସ ବୁଡ଼ିଯିବା ପରେ ସାରା ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା। ବର୍ତ୍ତମାନର ସମୟକୁ ୨୦୦୮ ସ୍ଥିତି ସହ ବହୁ ବିଶେଷଜ୍ଞ ତୁଳନା କରୁଛନ୍ତି। ଅନ୍ୟ କିଛି ବିଶେଷଜ୍ଞଙ୍କ ମତରେ ସେଭଳି କିଛି ଘଟିବ ନାହିଁ। ଏବେ କ୍ରେଡିଟ୍‌ ସୁଇସ୍‌ର ଦୁର୍ବଳ ସ୍ଥିତିକୁ ନେଇ ବିଶ୍ବବ୍ୟପାୀ ଚିନ୍ତା ପ୍ରକଟ କରାଯାଉଛି। ୨୦୦୭ରେ ଏହି ବ୍ୟାଙ୍କର ବଜାର ପୁଞ୍ଜି ପରିମାଣ ୯୧୦୦ କୋଟି ଡଲାର ଥିଲା। ତା’ପରଠାରୁ ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଉଥିବାରୁ ବଜାର ପୁଞ୍ଜି ମୂଲ୍ୟ ୯୦ ପ୍ରତିଶତ ପାଖାପାଖି ହ୍ରାସ ପାଇ ୮୬୬ କୋଟି ଡଲାରକୁ ଖସିଆସିଛି। ‌ଗୋଟିଏ ପଟେ ଏହି ବ୍ୟାଙ୍କ ନିଜ ଉଦ୍ୟମରେ ତିଷ୍ଠି ରହିବାକୁ ସଂଘର୍ଷ କରୁଥିବା ବେଳେ ଆଉ ଏକ ଖବର ଆସିଛି ଯେ ୟୁବିଏସ୍‌ ଅଧିଗ୍ରହଣ କରିବାର ଅନେକ ସମ୍ଭାବନା ରହିଛି।

ନୂଆଦିଲ୍ଲୀ: ଆମେରିକାରେ ବୁଡ଼ିଯାଇଥିବା ଦୁଇ ବ୍ୟାଙ୍କ ଭାରତକୁ ବିଶେଷ ପ୍ରଭାବିତ କରିନାହିଁ। କିନ୍ତୁ ସ୍ବିଜରଲ୍ୟାଣ୍ଡ୍‌ର ‌ବ୍ୟାଙ୍କ କ୍ରେଡିଟ୍‌ ସୁଇସ୍‌କୁ ନେଇ ଆରମ୍ଭ ହୋଇଥିବା କଳ୍ପନାଜଳ୍ପନା ନିଶ୍ଚିତ ରୂପେ ଚିନ୍ତାର କାରଣ ପାଲିଟିଛି। ଭାରତରେ ଏହି ବ୍ୟାଙ୍କ‌ର ୨୦,୭୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି। ଭାରତରେ ଏହା ହେଉଛି ଦ୍ବାଦଶ ବଡ଼ ବିଦେଶୀ ବ୍ୟାଙ୍କ। ଯଦି କୌଣସି ପରିସ୍ଥିତିରେ ଏହି ବ୍ୟାଙ୍କ ବୁଡ଼ିଯିବ ତେବେ ଭାରତ ବିଶେଷ ପ୍ରଭାବିତ ହେବ ନାହିଁ। କାରଣ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ପ୍ରତି ଏହାର ଅବଦାନ ହେଉଛି ମାତ୍ର ୦.୧ ପ୍ରତିଶତ। ଭାରତରେ ଏଚ୍‌ଏସ୍‌ବିସି ସର୍ବବୃହତ ବିଦେଶୀ ବ୍ୟାଙ୍କ ହୋଇଥିବା ବେଳେ ଏହା ପଛକୁ ରହିଛନ୍ତି ଷ୍ଟାଣ୍ଡାର୍ଡ ଚାର୍ଟର୍ଡ, ଡଚ୍‌ ବ୍ୟାଙ୍କ ଓ ଜେପି ମୋର୍ଗାନ୍।

ଭାରତରେ ସ୍ଥାନୀୟ ବ୍ୟାଙ୍କ ତୁଳନାରେ ବିଦେଶୀ ବ୍ୟାଙ୍କ ସଂଖ୍ୟା ବହୁତ କମ୍। ମୋଟ ସମ୍ପତ୍ତିରେ ସେମାନଙ୍କ ଭାଗ ୬ ପ୍ରତିଶତ ଥିବା ବେଳେ ଋଣରେ ୪ ପ୍ରତିଶତ ଓ ଜମାରେ ୫ ପ୍ରତିଶତ ଭାଗ ରହିଛି। ବିଦେଶୀ ମୁଦ୍ରା ଓ ସୁଧ କାରବାର ଭଳି ଡେରିଭେଟିଭ୍ ବଜାରରେ ସେମାନେ ଅଧିକ ସକ୍ରିୟ ରହିଛି। ଏହି ବଜାରର ୫୦ ପ୍ରତିଶତ ଭାଗ ସେମାନଙ୍କ କବ୍‌ଜାରେ ରହିଛି। ଭାରତରେ କ୍ରେଡିଟ୍ ସୁଇସ୍‌ର ଗୋଟିଏ ମାତ୍ର ଶାଖା ମୁମ୍ବାଇରେ ରହିଛି। ଏହାର ୭୦ ପ୍ରତିଶତ ସମ୍ପତ୍ତି ସରକାରୀ ପ୍ରତିଭୂତି ଭାବେ ରହିଛି। ଏନ୍‌ପିଏ ହାର ଶୂନ ରହିଛି। ଅନ୍ୟ ବିଦେଶୀ ବ୍ୟାଙ୍କ ତୁଳନାରେ ଏହାର ବାଲାନ୍‌ସ ସିଟ୍ ମୋଟ ସମ୍ପତ୍ତି ତୁଳନାରେ ୭ ଗୁଣା ଅଧିକ। ଭାରତରେ କ୍ରେଡିଟ୍‌ ସୁଇସ୍‌ର ଜମା ୨୮୦୦ କୋଟି ଟଙ୍କା ରହିଛି।

Share this :

Leave a Reply

Your email address will not be published. Required fields are marked *