ସବୁ ସରକାରୀ ବିଭାଗରେ ହେଉଥିବା ଖର୍ଚ୍ଚକୁ ତଦାରଖ କରିବା ସହିତ ବିଭାଗକୁ ଉଚିତ ପରାମର୍ଶ ଦେବା ପାଇଁ ‘ଇଣ୍ଟରନାଲ୍ ଅଡିଟ୍ ସିଷ୍ଟମ୍’ କରାଯାଇଛି। ସେମାନଙ୍କର ସରକାର ବିଭାଗଗୁଡ଼ିକର ‘ପାର୍ଟନର୍ସ’ ନାମରେ ଅଭିହିତ କରିଛନ୍ତି। ଏହି ସିଷ୍ଟମ୍ର ନିରନ୍ତର ଉଦ୍ୟମ ବଳରେ ସମ୍ପୃକ୍ତ ବିଭାଗର ସ୍ବଚ୍ଛତା ବଜାୟ ରହିବା ସହ ଆର୍ଥିକ ପରିଚାଳନା ବ୍ୟବସ୍ଥା ମଜବୁତ ହେବ। ତତ୍ସହିତ ଅଧିକାରୀମାନେ ଦକ୍ଷତାର ସହ ଜନସେବା ପ୍ରଦାନ କରିବେ ବୋଲି ସରକାର ଆଶା ବାନ୍ଧିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ସମେତ ୪୦ଟି ବିଭାଗରେ ଏଭଳି ବ୍ୟବସ୍ଥା କରାଯାଇଛି। ହେଲେ ସେମାନେ କରୁଛନ୍ତି କ’ଣ? ଯଦି ଗୃହ ଓ ନଗର ଉନ୍ନୟନ ବିଭାଗକୁ ବିଚାରକୁ ନେବା, ତେବେ ସାରା ରାଜ୍ୟରେ ଥିବା ୧୧୪ ପୌରସଂସ୍ଥାର ଇଣ୍ଟରନାଲ ଅଡିଟ୍ ପାଇଁ ୨୦୧୪ ମସିହାରୁ କମନ୍ କ୍ୟାଡର୍ ଅଡିଟର୍ମାନେ ନିଯୁକ୍ତ ହୋଇଛନ୍ତି।
ସୂଚନା ଅଧିକାରର ଆଇନ ଅନୁସାରେ, ସମସ୍ତ ସୂଚନା ସର୍ବସାଧାରଣ ହେବା କଥା। ହେଲେ ଏଯାବତ୍ ପୌର ସଂସ୍ଥାମାନଙ୍କର ଗୋଟିଏ ହେଲେ ରିପୋର୍ଟ ସର୍ବସାଧାରଣ ହୋଇ ନାହିଁ। ଯଦି ବିଏମ୍ସି କଥା ବିଚାରକୁ ନେବା ତେବେ ଇଣ୍ଟରନାଲ୍ ଅଡିଟ୍ ନାଁରେ କେବଳ ଧଳାହାତୀ ପୋଷା ହୋଇଥିବା କୁହାଯାଉଛି।
ବିଏମ୍ସିରେ ପଶିଲାଣି ଇଓଡବ୍ଲୁ
ଚେତୁ ନାହାନ୍ତି କର୍ତ୍ତୃପକ୍ଷ
ହୋଲ୍ଡିଂ ଟ୍ୟାକ୍ସ ଓ ଅନ୍ୟାନ୍ୟ ରାଜସ୍ବ ଆଦାୟରେ ବିଏମ୍ସି ବିଗତ ୨୦ବର୍ଷ ହେଲା ‘ଡିମାଣ୍ଡ କଲେକ୍ସନ ଓ ବାଲାନ୍ସ ରେଜିଷ୍ଟର’ ବ୍ୟବହାର କରୁନାହିଁ। କେବଳ ଟିକସ ଆଦାୟକାରୀଙ୍କ ଟିପା ଖାତାକୁ ବିଏମ୍ସି ଭରସା କରିଛି। ୨୦୦୨ ମସିହାରେ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମ୍ସିର ଏକ ସ୍ବତନ୍ତ୍ର ଅଡିଟ୍ କରିଥିଲା। ଏଥିରେ ଏହି ଟିପାଖାତା ବ୍ୟବସ୍ଥା ଉଠାଇବା ସହ ଡିମାଣ୍ଡ କଲେକ୍ସନ ଓ ବାଲାନ୍ସ ରେଜିଷ୍ଟର ବ୍ୟବହାର କରିବାକୁ ଅଡିଟ୍ ଚେତାଇ ଦେଇଥିଲେ। ଯଦିଓ ଦୁଇବର୍ଷ ହେଲା ହୋଲ୍ଡିଂ ଟ୍ୟାକ୍ସ ବ୍ୟବସ୍ଥାକୁ ଅନ୍ଲାଇନ୍ କରାଯାଇଛି, ତେବେ ଏହା ପୂର୍ବରୁ ସ୍ବତନ୍ତ୍ର ଅଡିଟ୍ ଆଦେଶର ଅନୁପାଳନ ହୋଇନଥିଲା। ବିଏମ୍ସି ରାଜସ୍ବ ଆୟର ଏହା ଏକ ମୁଖ୍ୟ ଅଙ୍ଗ ହୋଇଥିବା ସତ୍ତ୍ବେ ବିଏମ୍ସି ଏହାକୁ ଟ୍ୟାକ୍ସ କଲେକ୍ଟରଙ୍କ ଦୟାରେ ଛାଡ଼ି ଦେଇଥିଲା। କେତେକ ବରିଷ୍ଠ ଅଧିକାରୀ ଟ୍ୟାକ୍ସ କଲେକ୍ଟରଙ୍କ ସହ ମିଶି ହାତଚିକ୍କଣ କରୁଥିବା ମଧ୍ୟ ଅଭିଯୋଗ ରହିଥିଲା। ଏଣେ ଗୃହ ଓ ନଗର ଉନ୍ନୟନ ବିଭାଗ ମଧ୍ୟ ଏଥିରେ ମୁଣ୍ଡ ଖେଳାଇ ନଥିଲା। ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ମୁତାବକ ବିଏମ୍ସି କାମ କଲା କି ନାହିଁ ତାହା ମଧ୍ୟ ଯାଞ୍ଚ କରିନଥିଲା। ବିଭିନ୍ନ ସମୟରେ ଏହି ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ ଆସିବା ସହ ଟିକସ କମାଇଦେବା ପାଇଁ ଲାଞ୍ଚ ନେବା ବେଳେ ଦୁଇଜଣଙ୍କୁ ଭିଜିଲାନ୍ସ ଧରିଥିଲା। ଏବେ ବି ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ, ନୂଆ ଆକଳନ ଓ ସଂଶୋଧନରେ ବିଏମ୍ସି ପଛରେ ପଡ଼ିଛି। ବର୍ଷ ବର୍ଷ ଧରି ଇଣ୍ଟରନାଲ୍ ଅଡିଟ୍ ଏ ବାବଦରେ ପ୍ରଶ୍ନ ଉଠାଉ ନାହିଁ କିମ୍ବା ସୁଧାରିବାକୁ ଉଦ୍ୟମ କରିନାହିଁ।
ସରକାରୀ ତଥ୍ୟ ମୁତାବକ, ରାଜ୍ୟରେ ଥିବା ୧୧୪ ପୌରସଂସ୍ଥା ପ୍ରାୟ ୧୦ହଜାର କୋଟି ଟଙ୍କା ଅନୁଦାନର ବିନିଯୋଗ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ଲୋକାଲ୍ ଫଣ୍ଡ ଅଡିଟ୍ ଏନେଇ ବାରମ୍ବାର ଆପତ୍ତି ଉଠାଉଥିଲେ ମଧ୍ୟ ବିଭାଗୀୟ ତତ୍ପରତା ପ୍ରକାଶ ପାଉନାହିଁ। ଏହି ମୋଟା ଅଙ୍କର ଅର୍ଥକୁ ବ୍ୟାଙ୍କ୍ରେ ଜମା ରଖି ସୁଧ ବାବଦକୁ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିବା ଅଭିଯୋଗ ହୋଇଛି। ଏ ବାବଦରେ ମଧ୍ୟ ଇଣ୍ଟରନାଲ୍ ଅଡିଟ୍ ପ୍ରଶ୍ନ ଉଠାଉନାହାନ୍ତି କିମ୍ବା ଅଧିକାରୀଙ୍କ ଉପରେ ଉତ୍ତର ଦାୟିତ୍ବ ଧାର୍ଯ୍ୟ କରୁନାହାନ୍ତି। ଫଳରେ ଏହି ସବୁ ଘଟଣାର ପୁନରାବୃତ୍ତି ହେବାରେ ଲାଗିଛି