ତହସିଲ କାର୍ଯ୍ୟାଳୟ ଆଗରେ ଦେହରେ ନିଆଁ ଲଗାଇଥିବା ଦିବ୍ୟାଙ୍ଗ ମୃତ

Share this :

ନୂଆପଡ଼ା : ନୂଆପଡ଼ା ସଦର ତହସିଲ ଅଫିସ୍‌ରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦିବ୍ୟାଙ୍ଗ ଯୁବକ ଜମି ବିକ୍ରି କରିବାକୁ ଚାହୁଥିବା ବେଳେ ବିଭାଗୀୟ ଅଧିକାରୀ ବହୁ ହଇରାଣ କଲେ। ଏଥିରେ ଅତିଷ୍ଠ ହୋଇ ସଂପୃକ୍ତ ଯୁବକ ଜଣକ ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ତହସିଲ କାର୍ଯ୍ୟାଳୟ ଆଗରେ ଗୁରୁବାର ଦିନ ସେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଜଳନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ କର୍ମଚାରୀ ଭର୍ତ୍ତି କରିଛନ୍ତି।

ଥାନା ଆଗରେ ନିଜ ଦେହରେ ନିଆଁ ଲଗାଇଦେଲା ଯୁବକ : Odisha News Lens 3.2

ପ୍ରକାଶ ଯେ, ନୂଆପଡ଼ା ବ୍ଲକ ସାଲିହା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଆତ୍ମରାମ ଚୌହାନଙ୍କ ପୁଅ ଜଗଦୀଶ ଚୌହାନ (୩୮)। ଜଗଦୀଶ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଯିବାଆସିବା ପାଇଁ ଏକ ଲୁନା କିଣିଥିଲେ। ଲୁନାଟି ଫାଇନାନ୍‌ସରେ ଆଣିଥିବାରୁ ଋଣ ପରିଶୋଧ ପାଇଁ ଫାଇନାନ୍‌ସ କର୍ମଚାରୀ ଘରକୁ ବାରମ୍ବାର ଆସୁଥିଲେ। ଏଭଳି ସମୟରେ ସେ ନିଜ ଜମି ବିକ୍ରି କରି ଋଣ ପରିଶୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ବାପା ଆତ୍ମରାମଙ୍କ ସହ ନୂଆପଡ଼ା ତହସିଲ ଅଫିସ୍‌କୁ ଯାଇ ଜମି ବିକ୍ରି ପାଇଁ ଗତ ବର୍ଷ ଜାନୁଆରି ୧୫ ତାରିଖ ଆବେଦନ କରିଥିଲେ। ହେଲେ, ଗୋଟିଏବର୍ଷ ବିତି ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଅନୁମତି ନଦେବାରୁ ଭିନ୍ନକ୍ଷମ ଯୁବକ ବାରମ୍ବାର ତହସିଲ ଅଫିସକୁ ଆସି ଅତିଷ୍ଠ ହୋଇପଡ଼ିଥିଲେ।

ଗୁରୁବାର ଦିନ ପୁଣି ଫାଇନାନ୍‌ସରେ ଆଣିଥିବା ଲୁନା (ସିଜି- ୦୬ଜିଏକ୍ସ- ୫୪୬୪) ଧରି ତହସିଲ ଅଫିସ୍‌ରେ ପହଞ୍ଚିଥିଲେ। ହେଲେ, ବିଭାଗୀୟ ଅଧିକାରୀମାନେ ତାଙ୍କର କୌଣସି କଥାକୁ କର୍ଣ୍ଣପାତ କରିନଥିଲେ। ଫଳରେ, ମାନସିକ ଭାରସାମ୍ୟ ହରାଇ ଏକ ବୋତଲରେ ପେଟ୍ରୋଲ ଆଣି ତହସିଲ ଅଫିସ୍‌ ଆଗରେ ଜଗଦୀଶ ନିଜ ଦେହରେ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଜଳନ୍ତା ଅବସ୍ଥାରେ ସେ ଅତିରିକ୍ତ ତହସିଲଦାରଙ୍କ ପାଖକୁ ଯାଉଥିବା ଦେଖି କର୍ମଚାରୀମାନେ ଦୌଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ପରେ ତହସିଲଦାରଙ୍କ ଗାଡ଼ିରେ ତୁରନ୍ତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Share this :

Leave a Reply

Your email address will not be published. Required fields are marked *