ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୯ଦିନ ବିତିଲାଣି, ପ୍ରଥମ ଦିନରୁ ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଂଚ ନବଙ୍କ ହତ୍ୟା ପଛର ପ୍ରକୃତ କାରଣ କ’ଣ ତା’ର ରହସ୍ୟ ଭେଦ କରିବାକୁ ସକ୍ଷମ ହୋଇପାରୁନଥିବାବେଳେ ବିରୋଧୀ ଦଳ ଓ ସାଧାରଣ ଲୋକଙ୍କ ମଧ୍ୟରେ କ୍ରାଇମବ୍ରାଂଚର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଉଠିଛି । ଆଉ ଏସବୁ ଭିତରେ ନବଙ୍କ ହତ୍ୟା କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜଣା କହି ପୁଲିସ ଡିଜି ହାତ ଟେକିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ କିମ୍ବା ତାଙ୍କର କୌଣସି କ୍ୟାବିନେଟ୍ ସହଯୋଗୀ ମୁହଁ ନଖୋଲିବା ଏହି ହତ୍ୟାକୁ ଅଧିକ ରହସ୍ୟମୟ କରିବାରେ ଲାଗିଛି ।
ନିଜ କ୍ୟାବିନେଟ୍ ସହଯୋଗୀଙ୍କୁ ହରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ କ୍ୟାବିନେଟର ଆନୁଷ୍ଠାନିକ ବୈଠକ ଡକାଇ ନବଙ୍କ ମୃତ୍ୟୁ ପାଇଁ ଶୋକ ପ୍ରସ୍ତାବଟିଏ ପାରିତ କରିବାର ସୌଜନ୍ୟକୁ ନବୀନ ପଟ୍ଟନାୟକ ସରକାର ଭୁଲି ଯାଇଛି । ପାରିପାଶ୍ୱିର୍କ ସ୍ଥିତ, କ୍ରାଇମବ୍ରାଂଚ ତଦନ୍ତର ଗତି ଓ ଦିଗକୁ ଦେଖିଲେ ନବ ଦାସ ହତ୍ୟା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଥିବା ଏବଂ ହତ୍ୟା ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସଙ୍କୁ କେବଳ ମୋହରା କରାଯାଇଥିବା ନେଇ ବିରୋଧୀ ଦଳ, ପରିବାର ସଦସ୍ୟ ଓ ସାଧାରଣ ଲୋକଙ୍କ ଅଭିଯୋଗ ମଧ୍ୟ ଧୀରେ ଧୀରେ ଶାଣିତ ହେବାରେ ଲାଗିଲାଣି । ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଅକାଳ ମୃତ୍ୟୁ ପରେ ଜରୁରୀକାଳୀନ ରାଜ୍ୟ କ୍ୟାବିନେଟ ବୈଠକ ଡାକି ଶୋକ ପ୍ରସ୍ତାବ ପାରିତ କରିବାର ସୌଜ୍ୟନ୍ୟ କାହିଁକି ମୁଖ୍ୟମନ୍ତ୍ରୀ ଦେଖାଇଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।
ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୁଲିସ ଗୁଳି ମାରି ହତ୍ୟା କରିବା ଓଡ଼ିଶା ଇତିହାସରେ ପ୍ରଥମ ହୋଇଥିବାବେଳେ ରାଜ୍ୟ କ୍ୟାବିନେଟ ତାଙ୍କୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଶ୍ରଦ୍ଧାଞ୍ଜଳି ଦେବାକୁ ଆଗ୍ରହ ଦେଖାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ନବ ଦାସଙ୍କ ହତ୍ୟା ପାଇଁ ୩ଦିନ ରାଜ୍ୟସ୍ତରୀୟ ଶୋକ ପାଳନ ପାଇଁ ନିର୍ଦ୍ଦେଶ ଦେବା ରାଷ୍ଟ୍ରୀୟ ମର୍ଯ୍ୟାଦାରେ ନବଙ୍କ ଅନ୍ତିମ ସଂସ୍କାର କଲେ । କିନ୍ତୁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଅକାଳ ମୃତ୍ୟୁ ବା ହତ୍ୟା ପାଇଁ ତାଙ୍କ କ୍ୟାବିନେଟ୍ ସହଯୋଗୀମାନେ ତାଙ୍କୁ ଆନୁଷ୍ଠାନିକ ଭାବେ ଶୋକ ବ୍ୟକ୍ତ କରିବାର ସୁଯୋଗ ପାଇଲେ ନାହିଁ । ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ କାର୍ଯ୍ୟାଳୟ ଏଭଳି ସୌଜନ୍ୟ ପ୍ରଦର୍ଶନ ନେଇ ଆଗ୍ରହ ମଧ୍ୟ ଦେଖାଇ ନାହାନ୍ତି ।