ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ବ୍ରହ୍ମପୁରରେ ଖୋଳତାଡ଼ ଜାରି ରଖିଛି। ଆଜି ତୃତୀୟଦିନରେ କ୍ରାଇମ୍ବ୍ରାଞ୍ଚ ଟିମ୍ ଗୋପାଳଙ୍କ କଲେଜ ସମୟର ବନ୍ଧୁ ତଥା ଆଇନଜୀବୀ ପ୍ରଦୀପ ବେହେରାଙ୍କୁ ବିଭିନ୍ନ ଦିଗ ଉପରେ ପଚରାଉଚରା କରିଛନ୍ତି।
ଇଂଜିୟନିରିଂ ସ୍କୁଲ୍ ଛକସ୍ଥିତ ରାଜସ୍ବ ଡାକବଙ୍ଗଳାରେ କ୍ରାଇମ୍ବ୍ରାଞ୍ଚର ଡିଏସ୍ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ଆଇନଜୀବୀ ଶ୍ରୀ ବେହେରାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପ୍ରଦୀପ କଲେଜ ସମୟରେ ଗୋପାଳଙ୍କ ସହ ପାଠ ପଢ଼ୁଥିବା ନେଇ ପୂର୍ବରୁ ଗଣମାଧ୍ୟମ ଆଗରେ କହିଥିଲେ। ଏଣୁ ପାଠପଢ଼ା ସମୟରେ ଗୋପାଳଙ୍କ ଆଚାର ବ୍ୟବହାର କେମିତି ଥିଲା? ସେ ହଠାତ୍ ରାଗୁଥିଲେ କି ? ତାଙ୍କ ସହିତ କାହାର ଶତ୍ରୁତା ଥିଲା କି? ତାଙ୍କ ସହ ଆଉ କେଉଁମାନେ ସାଙ୍ଗ ରହିଥିଲେ? ତାଙ୍କର ମାନସିକ ରୋଗ କ’ଣ ଥିଲା କି? ଏଭଳି ବିଭିନ୍ନ ଦିଗ ଉପରେ କ୍ରାଇମ୍ବ୍ରାଞ୍ଚ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି। ଶ୍ରୀ ବେହେରା କ୍ରାଇମ୍ବ୍ରାଞ୍ଚକୁ ସହଯୋଗ କରିବା ସହିତ ସେ ଗୋପାଳଙ୍କ ବିଷୟରେ ଯାହା ଜାଣିଥିଲେ ତାହା କହିଥିବା ସୂଚନା ମିଳିଛି। ଗୋପାଳଙ୍କର ସେଭଳି କୌଣସି ମାନସିକ ସମସ୍ୟା ନଥିଲା। ସେ ଜଣେ ଭଲ ଫୁଟବଲ୍ ଖେଳାଳି ଥିଲେ। ସେ ଜଣେ ଅନ୍ତର୍ଜାତୀୟ ସ୍ତରର ଖେଳାଳି ହେବାକୁ ଇଚ୍ଛା ରଖିଥିଲେ। ଏଥିସହିତ, ପୁଲିସ ଇନ୍ସ୍ପେକ୍ଟର୍ ହେବା ତାଙ୍କର ଲକ୍ଷ୍ୟ ରହିଥିଲା ବୋଲି ସେ କ୍ରାଇମ୍ବ୍ରାଞ୍ଚ ଆଗରେ କହିଥିବା ସୂଚନା ମିଳିଛି।