ଫ୍ରିଜ୍ ଖାଦ୍ୟ, ପ୍ୟାକେଟ୍ରେ ଥିବା ଖାଦ୍ୟପାନୀୟ ପାଇଁ ପ୍ରତ୍ୟୁର୍ଜତା (ଆଲର୍ଜି) ହୁଏ। ମା’ମାନେ ପିଲାଙ୍କୁ ଯେଉଁ ଖାଦ୍ୟ ରାନ୍ଧି ଦେଉଛନ୍ତି, କିମ୍ବା ବଜାରରୁ କିଣି ଦେଉଥିଲେ, ସେସବୁକୁ ଭଲ ଭାବେ ଦେଖି ଚାହିଁ ଦେବା ଦରକାର। ପିଲାକୁ ଯଦି ଖାଦ୍ୟ ପ୍ରତି ପ୍ରତ୍ୟୁର୍ଜତା ଥିବ, ତାକୁ ଖାଇଲେ ପେଟ ଖରାପ ଓ ଜ୍ବର ବି ହୁଏ।
ଯେତେବେଳେ ଆମ ଶରୀର କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରକାର ଖାଦ୍ୟକୁ ବରଦାସ୍ତ କରିପାରେ ନାହିଁ ଏବଂ ସେତେବେଳେ ଶରୀରରେ ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ସେଭଳି ଅବସ୍ଥାକୁ ଫୁଡ୍ ଆଲର୍ଜି ବା ଖାଦ୍ୟଜନିତ ଆଲର୍ଜି ବୋଲି କୁହାଯାଇଥାଏ।
ଏଭଳି ସ୍ଥିତିରେ ଶରୀରରୁ ଏକ ସ୍ୱତନ୍ତ୍ର ପ୍ରକାରର ସୁରକ୍ଷାତ୍ମକ ରସାୟନିକ ହିଷ୍ଟେମାଇନ୍ ସ୍ରାବିତ ହୋଇଥାଏ । ସେହି ଯୋଗୁ ଶରୀରର ବିଭିନ୍ନ ସ୍ଥାନରେ ଲାଲ୍ ଲାଲ୍ ଚକଡ଼ା ଚକଡ଼ା ହୋଇ ଫଳିଯାଏ, କୁଣ୍ଡେଇ ହୁଏ, ବାନ୍ତି ଲାଗେ, ମୁଣ୍ଡ ବୁଲାଏ ଏପରିକି ଡାଇରିଆ ଭଳି ସମସ୍ୟା ବି ଦେଖାଯାଏ।
କେଉଁ ସବୁ ଖାଦ୍ୟରୁ ଫୁଡ୍ ଆଲର୍ଜି ହୁଏ ଜାଣି ରଖନ୍ତୁ…
-ମୁଖ୍ୟତଃ ଗ୍ଲୁଟନ୍ ଯୁକ୍ତ ଖାଦ୍ୟପଦାର୍ଥ, ଡାଏରୀ ଉତ୍ପାଦ, ସୋୟାବିନ୍, ଅଣ୍ଡା, ସାମୁଦ୍ରିକ ମାଛ ପ୍ରଭୃତିରୁ ଫୁଡ୍ ଆଲର୍ଜି ହୋଇଥାଏ। ଏହି ସବୁ ଖାଦ୍ୟ ଖାଇଲେ କେତେ ଜଣଙ୍କର ସଙ୍ଗେ ସଙ୍ଗେ ଆଲର୍ଜି ହେଉଥିବା ବେଳେ ଅନ୍ୟମାନଙ୍କର ୪୮-୭୨ ଘଣ୍ଟା ମଧ୍ୟରେ ଆଲର୍ଜି ହୁଏ।
-ନିରାମିଷ ଖାଉଥିବା ଲୋକଙ୍କ ପାଇଁ ସୋୟାବିନ୍ ସବୁଠୁ ଭଲ। ଏଥରୁ ଭରପୂର ପ୍ରୋଟନ ବି ମିଳିଥାଏ। କିନ୍ତୁ କିଛି ଲୋକ ସୋୟାବିନ୍ ଖାଇବା ଯୋଗୁଁ ସେମାନଙ୍କୁ ଥଣ୍ଡା ହେବା, ଦେହ ହାତ କୁଣ୍ଡାଇହେବା ଭଳି ଲକ୍ଷଣ ଦେଖାଯାଏ। ସେମାନେ ସୋୟା ଜାତୀୟ ଖାଦ୍ୟ ବର୍ଜନ କରିବା ଆବଶ୍ୟକ।
-ଗହମରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ବି କିଛି ଲୋକ ଆଲର୍ଜିରେ ପୀଡ଼ିତ ହୋଇଥାନ୍ତି। ଏହା ଜଣାପଡ଼ିଲେ ଗହମରୁ ପ୍ରସ୍ତୁତ ଖାଦ୍ୟ ବଦଳରେ ଭାତ ବା ଅନ୍ୟ ଖାଦ୍ୟ ଖାଆନ୍ତୁ।
-ସାମୁଦ୍ରିକ ମାଛ ଖାଇବା ଦ୍ୱାରା ସର୍ବାଧିକ ଲୋକଙ୍କୁ ଆଲର୍ଜି ହୋଇଥାଏ। ତା’ ବ୍ୟତୀତ ଚିଙ୍ଗୁଡ଼ି, କଙ୍କଡ଼ା ବି ଆଲର୍ଜିର କାରଣ ପାଲଟିଥାଏ। ଏପରିକି ସମୟ ସମୟରେ ଏହା ପ୍ରାଣଘାତକ ବି ହୁଏ।
-ଗାଈ କ୍ଷୀର ଯୋଗୁଁ ମଧ୍ୟ ଆଲର୍ଜି ହୁଏ। ବିଶେଷ କରି ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ। ଏପରିସ୍ଥଳେ ଗାଈ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟକୁ ସେମାନଙ୍କୁ ଦେବା ଅନୁଚିତ୍।
-ସମୟ ସମୟରେ କିଛି ଲୋକଙ୍କୁ ବାଦାମ, କାଜୁ, ପିସ୍ତା ଖାଇବା ଦ୍ୱାରା ବି ଅଣନିଃଶ୍ୱାସୀ ଲାଗେ। ଏହା ଆଲର୍ଜିର ଲକ୍ଷଣ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।