ନୂଆଦିଲ୍ଲୀ: ନୂଆ ସ୍ମାର୍ଟଫୋନ୍ କିଣିବା ବେଳେ ସେଥିରେ କିଛି ଆପ୍ ପୂର୍ବରୁ ଇନ୍ଷ୍ଟଲ୍ ହୋଇରହିଥାଏ। ସେହି ଆପ୍ଗୁଡ଼ିକ ହେଉଛି ପ୍ରି-ଇନଷ୍ଟଲ୍ଡ ଆପ୍। ନିରାପତ୍ତା ଦୃଷ୍ଟିରୁ ସେହି ଆପ୍ଗୁଡ଼ିକୁ ନିୟନ୍ତ୍ରଣ କରିବା ଉପରେ ସରକାର ବିଚାର କରୁଛନ୍ତି। ଏହି ଆପ୍ରେ ଏବେ ରହିଥିବା ସମସ୍ୟା ହେଉଛି ଗ୍ରାହକମାନେ ଚାହିଲେ ମଧ୍ୟ ସେଗୁଡ଼ିକୁ ଫୋନ୍ରୁ ହଟାଇପାରୁନାହାନ୍ତି। କାରଣ ତାହାକୁ ଅନ୍ଇନ୍ଷ୍ଟଲ୍ କରାଯାଇପାରୁନାହିଁ। ଲୋକମାନେ ଯେଭଳି ସୁବିଧା ଓ ସହଜରେ ସେଗୁଡ଼ିକ ହଟାଇପାରିବେ ସେହି ସୁବିଧା ଫୋନ୍ରେ ଦେବାକୁ ସ୍ମାର୍ଟଫୋନ୍ କଂପାନିଗୁଡ଼ିକୁ ସରକାର କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ରଏଟର୍ରେ ଏକ ଖବର ପ୍ରକାଶ ପାଇଛି।
ପ୍ରି-ଇନ୍ଷ୍ଟଲ୍ଡ ଆପ୍ ଜରିଆରେ ତଥ୍ୟ ହେରଫେର ଓ ଗୁଇନ୍ଦାଗିରି ହେବାର ଆଶଙ୍କା ଥିବାରୁ ସରକାର ସେଗୁଡ଼ିକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ ମତରେ ଏଭଳି ଆପ୍ଗୁଡ଼ିକ ହେଉଛି ସ୍ମାର୍ଟଫୋନ୍ର ଦୁର୍ବଳ ଦିଗ। ଚୀନ୍ ସମେତ ଅନ୍ୟ ଯେକୌଣସି ବିଦେଶୀ ରାଷ୍ଟ୍ର ସେହି ମାଧ୍ୟମରେ ଯେକୌଣସି ଦେଶରେ ପ୍ରବେଶ କରି ଫୋନ୍ର ତଥ୍ୟ ସଂଗ୍ରହ କରିପାରିବେ। ତାହା ଜାତୀୟ ନିରାପତ୍ତା ପ୍ରତି ବିପଦ ବୋଲି କୁହାଯାଉଛି। ଭାରତ ହେଉଛି ବିଶ୍ବର ଦ୍ବିତୀୟ ବଡ଼ ସ୍ମାର୍ଟଫୋନ୍ ବଜାର। ଏଠାରେ ବିକ୍ରି ହେଉଥିବା ନାମୀଦାମୀ କଂପାନିଗୁଡ଼ିକର ସ୍ମାର୍ଟଫୋନ୍ରେ ପ୍ରି-ଇନ୍ଷ୍ଟଲ୍ଡ ଆପ୍ ରହୁଛି। ସେଗୁଡ଼ିକ ଉପରେ କଟକଣା ଲଗାଇଲେ ଫୋନ୍ କଂପାନିଗୁଡ଼ିକର ରାଜସ୍ବ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ପ୍ରି-ଇନ୍ଷ୍ଟଲ୍ଡ ଆପ୍ରେ ଅନ୍ଇନ୍ଷ୍ଟଲ୍ ବିକଳ୍ପ ପ୍ରଦାନ କରିବା ଲାଗି କଂପାନିଗୁଡ଼ିକୁ ସରକାର କହିବେ। ଏହା ବାଦ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଲ୍ୟାବ୍ରେ ସେଗୁଡ଼ିକୁ ପରୀକ୍ଷା ମଧ୍ୟ କରିବା ଲାଗି ସରକାରଙ୍କ ଯୋଜନା ରହିଛି। ଏ ସମ୍ପର୍କରେ ଏକ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଶାଓମି, ସାମସଙ୍ଗ, ଆପଲ୍ ଓ ଭିଭୋର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
୨୦୨୦ରେ ଲଦାଖ୍ର ଗଲ୍ୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍ର ମୋବାଇଲ୍ ଆପ୍ଗୁଡ଼ିକ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟିକ୍ଟକ୍, ସେୟାରଇଟ୍, ୱିଚାଟ୍ ଭଳି ୫୯ଟି ଲୋକପ୍ରିୟ ଆପ୍କୁ ନିଷିଦ୍ଧ କରିଥିଲେ। ଏହାର ପରବର୍ତ୍ତୀ ସମୟରେ ଆଉ କିଛି ଚୀନ୍ ଆପ୍ ସେହି ନିଷିଦ୍ଧ ତାଲିକାରେ ସାମିଲ ହୋଇଥିଲା। ଭାରତୀୟ ବ୍ୟବହାରକାରୀଙ୍କ ନିରାପତ୍ତା ଓ ଗୋପନୀୟତା ପ୍ରତି ବିପଦ ଦର୍ଶାଇ ଆପ୍ଗୁଡ଼ିକୁ ନିଷିଦ୍ଧ କରାଯାଇଥିଲା। ଚୀନ୍କୁ ଦୃଷ୍ଟିରେ ରଖି ନୂଆ ନିୟମ ଲାଗୁ କରିବା ଉପରେ ବିଚାର କରାଯାଉଥିବା ଆଲୋଚନା ହେଉଛି।