ବ୍ରେନ୍‌ ମ୍ୟାଲେରିଆ ପାଇଁ ମହୌଷଧି, ପ୍ରତିଷେଧକ ଭଳି କାମ କରିବ

Share this :

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଇଏଲ୍‌‌ଏସ୍‌‌କୁ ବଡ଼ ସଫଳତା। ଆଇଏଲ୍‌‌ଏସ୍‌‌ର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ୍‌‌ ବ୍ରେନ୍‌‌ ମ୍ୟାଲେରିଆ ବା ମସ୍ତିଷ୍କ ମ୍ୟାଲେରିଆ ପାଇଁ ଔଷଧ ଉଦ୍ଭାବନ କରିଛନ୍ତି। ଏହା ଗୁରୁତର ମ୍ୟାଲେରିଆ ଓ ମସ୍ତିଷ୍କ ମ୍ୟାଲେରିଆରୁ ରୋଗୀଙ୍କ ଜୀବନ ରକ୍ଷା କରିବ ବୋଲି ନାଗରାଜଙ୍କ ଟିମ୍‌‌ ଦାବି କରିଛନ୍ତି। ଏହି ଔଷଧର ନାମ ରହିଛି ଗ୍ରିସେଫୁଲଭିନ। ଅନୁମତି ମିଳିଲେ ଆଗକୁ ଏହାକୁ ରୋଗୀ ଚିକିତ୍ସାରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ଚିନ୍ତାର କାରଣ ଥିବା ଜାପାନୀ ଜ୍ୱରରୁ ରକ୍ଷା କରିବାରେ ଏହି ଔଷଧ ଉପାଦେୟ ସାବ୍ୟସ୍ତ ହୋଇ ପାରିବ ବୋଲି ଏହାର ଉଦ୍ଭାବକ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଆଇଏଲ୍‌‌ଏସ୍‌‌ର ପୂର୍ବତନ ନିର୍ଦ୍ଦେଶକ ସ୍ୱର୍ଗତ ପ୍ରଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ରେନ୍‌‌ ମ୍ୟାଲେରିଆ ଔଷଧ ଉପରେ ଗବେଷଣା ଆରମ୍ଭ ହୋଇଥିଲା।Malaria: Symptoms, treatment, and prevention

ଡକ୍ଟର ନାଗରାଜ କହିଛନ୍ତି, ସମଗ୍ର ବିଶ୍ୱରେ ଆଜି ବି ମ୍ୟାଲେରିଆ ଉଦ୍‌‌ବେଗଜନକ ସ୍ଥିତିରେ ଅଛି। ୨୦୧୫ ପରଠାରୁ ମ୍ୟାଲେରିଆର ଉପଦ୍ରବ ବଢ଼଼ିବାରେ ଲାଗିଛି। ତେବେ ସମସ୍ୟା ହେଉଛି ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହାର ହେଉଥିବା ଔଷଧ ରୋଗୀଙ୍କ ଠାରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଉଛି। ଫଳରେ ସେମାନଙ୍କ ଜୀବନ ରକ୍ଷା କରିବା ସମ୍ଭବ ହେଉ ନାହିଁ। ଫାଲସିପାରମ୍‌‌ ମ୍ୟାଲେରିଆ ୯୦% ରୋଗୀଙ୍କ ମୃତ୍ୟୁର କାରଣ ବୋଲି ସେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌‌ଓ)ର ମାର୍ଗଦର୍ଶୀକା ଅନୁସାରେ ଆର୍ଟେମିସିନିନ୍‌‌ ବେସଡ୍‌‌ କମ୍ବିନେସନ୍‌‌ ଥେରାପି (ଏସିଟି) ଜରିଆରେ ରୋଗୀଙ୍କ ଚିକିତ୍ସା କରାଯାଉ ଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇପାରୁ ନାହିଁ।

ଏହି ପଦ୍ଧତ୍ତିରେ ଚିକିତ୍ସା ସତ୍ତ୍ବେ ସେରେବ୍ରାଲ୍‌‌ ଏବଂ ଗୁରୁତର ମ୍ୟାଲେରିଆ ରୋଗୀଙ୍କ ଜୀବନ ରକ୍ଷା ସମ୍ଭବ ହେଉ ନାହିଁ। ଏସବୁ ଦିଗକୁ ଅନୁଧ୍ୟାନ କରି ଆମେ ସଠିକ୍‌‌ ଔଷଧ ଉଦ୍ଭାବନ ପାଇଁ ଗବେଷଣା ଚଳାଇଥିଲୁ। ନିକଟରେ ଆନିମାଲ ମଡେଲ୍‌‌ ଉପରେ ତାହାର ପ୍ରୟୋଗ କରାଯାଇ ଥିଲା ଏବଂ ଏହାର ବହୁତ ଭଲ ଫଳାଫଳ ହସ୍ତଗତ ହୋଇଛି। ଆଗାମୀ ଦିନରେ ଏହାର ମାନବ ପରୀକ୍ଷଣ କରାଯିବ। ଏହି ରିପୋର୍ଟ ଠିକ୍‌‌ ରହିବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ସରକାରଙ୍କର ଅନୁମତି ପରେ ବିଧିବଦ୍ଧ ବ୍ୟବହାର ହେବା ନେଇ ଆମେ ଆଶାବାଦୀ ଅଛୁ ବୋଲି ଡକ୍ଟର ନାଗରାଜ କହିଛନ୍ତି।

ସୂଚନା ଅନୁସାରେ ଏହି ଔଷଧର ବଜାର ମୂଲ୍ୟ ଅପେକ୍ଷାକୃତ କମ୍‌‌ ରହିବ। ଉଭୟ ଶିଶୁ ଏବଂ ବୟସ୍କ ରୋଗୀଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିରାପଦ ହୋଇପାରିବ। ପ୍ରଚଳିତ ଏସିଟି ସହିତ ନୂଆ ଔଷଧର ବ୍ୟବହାର କରାଯାଇ ପାରିବ।

Share this :

Leave a Reply

Your email address will not be published. Required fields are marked *