ପାରଳାଖେମୁଣ୍ଡି : ଭାରତର ସପ୍ତପର୍ବତ ମଧ୍ୟରେ ଅନ୍ୟତମ ପବିତ୍ର ପର୍ବତ ହେଉଛି ମହେନ୍ଦ୍ରଗିରି। ଏଠାରେ ତିନିଟି ପ୍ରାଚୀନ ଶୈବ ମନ୍ଦିର ଅବସ୍ଥିତ। କଳିଙ୍ଗନଗରରେ ଗଙ୍ଗମାନେ ରାଜତ୍ବ କରୁଥିବା ବେଳେ ଗୋକର୍ଣ୍ଣେଶ୍ଵର ବା କୁନ୍ତୀ ମନ୍ଦିର ଏବଂ ଯୁଧିଷ୍ଠିର ମନ୍ଦିର ନିର୍ମାଣ ହୋଇଥିଲା। ଅନ୍ୟତମ ଭୀମ ମନ୍ଦିରଟି ତତ୍ ପୂର୍ବରୁ ଚତୁର୍ଥ ଶତାବ୍ଦୀରେ ନିର୍ମିତ ହୋଇଥିବା କୁହାଯାଏ। କିନ୍ତୁ ପୁରାଣ ମତରେ ଏଠାକାର ଗୋକର୍ଣ୍ଣେଶ୍ଵର ମନ୍ଦିର ସହ ଅନ୍ୟ ଦୁଇଟି ମନ୍ଦିର ପ୍ରତିଷ୍ଠିତ ଥିଲା। ପାଣ୍ଡବ ସେମାନଙ୍କ ବନବାସ ସମୟରେ ମହେନ୍ଦ୍ରଗିରିରେ କିଛି ବର୍ଷ ଅବସ୍ଥାନ କରିଥିବାରୁ ସେମାନଙ୍କ ସ୍ମୃତିରେ ସେହି ମନ୍ଦିର ଗୁଡିକର ନାମ ଭୀମ, ଯୁଧିଷ୍ଠିର ଓ କୁନ୍ତୀ ରଖାଯାଇଛି।
ଏକ ପୌରାଣିକ ଆଖ୍ୟାନ ଅନୁସାରେ ଅର୍ଜୁନ ପିତୃଶ୍ରାଦ୍ଧ ନିମନ୍ତେ ମହେନ୍ଦ୍ରଗିରିରେ ଗଣ୍ଡା ଶିକାର କରିବା ବେଳେ ଭୁଲବଶତଃ ଏକ ନୀଳଗାଈକୁ ଶରବିଦ୍ଧ କରିବାରୁ ତାହାର ମୃତ୍ୟୁ ହୋଇଥିଲା। ନୀଳଗାଈର ଗୋଟିଏ କର୍ଣ୍ଣ ଛିଡି ଯେଉଁ ସ୍ଥାନରେ ପଡିଥିଲା ସେଠାରେ ଗୋକର୍ଣ୍ଣେଶ୍ଵର ନାମିତ ଶିବଲିଙ୍ଗ ପ୍ରତିଷ୍ଠା ଲାଭ କଲେ। ବିଷ୍ଣୁ ପୁରାଣର ଏକ ଆଖ୍ୟାନ ଅନୁସାରେ ବିଷ୍ଣୁ ଗୟାସୁରକୁ ସଂହାର କରିବା ବେଳେ ସେ ଏକ ବର ମାଗିଥିଲା। ସେହି ବର ଅନୁସାରେ ଗୟାସୁରର ମୃତ୍ୟୁ ପରେ ତାର ମୃତ ଶରୀର ପୃଥିବୀ ବକ୍ଷରେ ଏଭଳି ପଡ଼ିରହିଲା ଯେ ତାର ମୁଣ୍ଡ ଆଧୁନିକ ବିହାରର ଗୟାରେ, ନାଭି ସ୍ଥଳ ଯାଜପୁରର ଗୟାରେ ଓ ପାଦ ମହେନ୍ଦ୍ରଗିରିକୁ ସ୍ପର୍ଶ କରିଥିଲା। ବିଷ୍ଣୁଙ୍କ ବର ଅନୁସାରେ ଉକ୍ତ ୩ ସ୍ଥାନରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ମହାପୁଣ୍ୟ ହେବା ସହ ପିତୃପୁରୁଷଙ୍କ ସନ୍ତୁଷ୍ଟି ବିଧାନ ହୋଇଥାଏ। ସେହି ଦିନ ଠାରୁ ମହେନ୍ଦ୍ରଗିରି ପାଦଗୟା ଭାବରେ ପ୍ରସିଦ୍ଧ ଲାଭ କରିଅଛି।