ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଅଭିବୃଦ୍ଧି ୪.୪ ପ୍ରତିଶତକୁ ହ୍ରାସ ପାଇବା ପରେ ଭାରତ ନିମ୍ନ ଅଭିବୃଦ୍ଧି ହାର ଆଡ଼କୁ ଗତି କରୁଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆଶଙ୍କା ପ୍ରକଟ କରିଥିଲେ। ୧୯୫୦-୮୦ ପର୍ଯ୍ୟନ୍ତ ଭାରତର ହାରାହାରି ଅଭିବୃଦ୍ଧି ୪ ପ୍ରତିଶତ ରହୁଥିଲା ଯାହାକୁ ଅର୍ଥନୀତିଜ୍ଞ ରାଜ କ୍ରିଷ୍ଣା ‘ହିନ୍ଦୁ ଅଭିବୃଦ୍ଧି ହାର’ ଭାବେ ପରିଭାଷିତ କରିଥିଲେ। ଭାରତ ପୁଣି ଥରେ ସେଭଳି ସ୍ଥିତି ଆଡ଼କୁ ଗତି କରୁଥିବା ନେଇ ରାଜନ ଏକ ସାକ୍ଷାତକାରରେ କହିଥିଲେ।ରାଜନଙ୍କ ସେହି ଆକଳନ ଓ ଚିନ୍ତାକୁ ନେଇ ଅର୍ଥନୀତିଜ୍ଞମାନେ ଭିନ୍ନ ମତ ଦେଇଛନ୍ତି।
ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବ୍ନାଭିସ୍ କହିଛନ୍ତି ଯେ କିଛି ହାତଗଣତି ତ୍ରୈମାସିକ ବଦଳରେ ଆମକୁ ସାରା ବର୍ଷର ଅଭିବୃଦ୍ଧିକୁ ବିଚାରକୁ ନେବାକୁ ହେବ। କାରଣ ତ୍ରୈମାସିକ ତଥ୍ୟରେ ଅସମ୍ପୂର୍ଣ୍ଣ ଛବି ପ୍ରତିଫଳିତ ହୋଇଥାଏ। ନିବେଶ ଓ ଉପଯୋଗିତାକୁ ନେଇ ଆହ୍ବାନ ରହିଥିଲେ ମଧ୍ୟ ଭାରତର ଅଭିବୃଦ୍ଧି ଆସନ୍ତା ବର୍ଷ ୬ ପ୍ରତିଶତରୁ ଅଧିକ ହେବ ବୋଲି ପ୍ରତିଷ୍ଠିତ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ଆକଳନ କରୁଛନ୍ତି। ତେଣୁ ଦେଶ ୪୦ ବର୍ଷ ତଳକୁ ଫେରିଯିବ ବୋଲି ଯାହା କୁହାଯାଉଛି ତାହା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି। ରାଜନ ଯେଉଁ ଆଧାରରେ ଏହି ଯୁକ୍ତି ବାଢ଼ିଛନ୍ତି ସେହି ଅନୁସାରେ ଆମେରିକା, ବ୍ରିଟେନ୍ ଓ ଜାପାନ ବି ପଛକୁ ଫେରିଯାଇଛନ୍ତି ବୋଲି କୁହାଯାଇପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ରେଟିଂ ଏଜେନ୍ସି ଇକ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟାର କହିଛନ୍ତି ଯେ କୋଭିଡ୍ ପୂର୍ବ ସମୟ ସହିତ ଅଭିବୃଦ୍ଧି ହାରକୁ ଆକଳନ କଲେ ସଠିକ୍ ଚିତ୍ର ସାମ୍ନାକୁ ଆସିପାରିବ।