ସ୍ଥାନୀୟ ସାମ୍ୱାଦିକତା ବିକାଶ
ଡ. ପ୍ରଦୀପ ମହାପାତ୍ର
ବିଶ୍ୱବ୍ୟାପୀ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ସମ୍ୱାଦ ଶିଳ୍ପ ସଂକଟାପନ୍ନ ଅବସ୍ଥାରେ ପହଞ୍ଚିଥିବା ଅବସରରେ ସ୍ଥାନୀୟ ସମ୍ୱାଦ ‘ଲୋକାଲ ନିଉଜ’ ବିକାଶକୁ ଗୁରୁତ୍ୱ ଦିଆଯାଉଛି । ମାର୍ଚ୍ଚ ୨୦୨୩ ପ୍ରଥମ ସପ୍ତାହରେ ବ୍ରିଟେନରୁ ପ୍ରକାଶିତ ଖ୍ୟାତନାମା ‘ଦି ଗାର୍ଡିଆନ’ ସମ୍ୱାଦପତ୍ରର ରବିବାସରୀୟ ସମ୍ପାଦକୀୟରେ ସମକାଳରେ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ପ୍ରକାଶନ ବନ୍ଦ ହୋଇଯାଉଥିବା ଘଟଣାବଳୀ ଗଣତନ୍ତ୍ର ନିମନ୍ତେ ବିପଦପୂର୍ଣ୍ଣ ଦର୍ଶାଯାଇଥିଲା । ଉଭୟ ମୁଦ୍ରିତ ଓ ଡିଜିଟାଲ ସମ୍ୱାଦ ମଞ୍ଚ ଜନସାଧାରଣଙ୍କୁ ସାମାଜିକ ସ୍ରୋତରେ ସାମିଲ ହେବା ନିମନ୍ତେ ପ୍ରୋତ୍ସାହିତ କରିଥାଏ । ଜନଜୀବନର ଗୁଣାତ୍ମକ ବିକାଶକଳ୍ପେ ନାଗରିକଗଣ ବ୍ୟକ୍ତିଗତ ଅଭିଜ୍ଞତା ସହ ସମ୍ୱାଦ ମଞ୍ଚରେ ଉପଲବ୍ଧ ସୂଚ଼ନା ଓ ବିଭିନ୍ନ କ୍ଷେତ୍ରରେ ବାସ୍ତବ ସ୍ଥିତିର ବିବରଣୀ ବିଚାର-ବିମର୍ଷ ଓ ବିତର୍କର ସୁବିଧା ସୁଯୋଗ ପାଇଥାନ୍ତି । ସ୍ଥାନୀୟ ସମ୍ୱାଦ ମଞ୍ଚର ବିଲୟ କିମ୍ୱା ସ୍ଥାନୀୟ ସମ୍ୱାଦ ପରିବେଷଣଜନିତ ଦାରିଦ୍ର୍ୟ ସେହିଭଳି ସୁବିଧାସୁଯୋଗର ପରିପନ୍ଥୀ ।
ସମ୍ପାଦକୀୟରେ ଉଲ୍ଲେଖ ଥିଲା ଯେ ବ୍ରିଟେନରେ ୨୦୦୯ରୁ ୨୦୧୯, ଦଶ ବର୍ଷ ମଧ୍ୟରେ ୩୨୦ ଗୋଟି ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯାଇଛି । ଏହି ସମୟ ସୀମାରେ ସମ୍ୱାଦପତ୍ରଗୁଡ଼ିକର ବିଜ୍ଞାପନରୁ ଆୟ ୭୦ ପ୍ରତିଶତ କମି ଯାଇଥିବା ଜଣାଯାଏ । ଅଷ୍ଟାଦଶ ଶତାଦ୍ଦୀରୁ ଆରମ୍ଭ ହୋଇଥିବା ମୁଦ୍ରିତ ସମ୍ୱାଦପତ୍ରର ପ୍ରସାର ଇତିହାସରେ ସ୍ଥାନୀୟ ସମ୍ୱାଦପତ୍ରର ସଂଖ୍ୟା ସମକାଳରେ ସର୍ବାପେକ୍ଷା କମ ଗଣିତ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ସପ୍ତାହରେ ଦୁଇଗୋଟି ସମ୍ୱାଦପତ୍ର ବନ୍ଦ ହୋଇଯାଉଛି । ଏହା ଫଳରେ ସାମ୍ୱାଦିକମାନେ ନିଯୁକ୍ତି ହରାଇ ସାମ୍ୱାଦିକତା ବୃତ୍ତି ଓ ପ୍ରବୃତ୍ତିରୁ ଦୂରେଇ ଯାଉଛନ୍ତି । ଏକପକ୍ଷରେ ସମାଜରେ ଗୁଣାତ୍ମକ ସମ୍ୱାଦ ପ୍ରବାହର ପରିମାଣ ହ୍ରାସ ପାଉଛି । ଅପରପକ୍ଷରେ ସୋସିଆଲ ମିଡ଼ିଆରେ ବିସଂବାଦ ଓ ଅସତ୍ୟ ପ୍ରସାର ଫଳରେ ସାଧାରଣ ନାଗରିକ ଭ୍ରାନ୍ତିର ଶିକାର ହେଉଛନ୍ତି । ଏହି ପରିବେଶ ସୁସ୍ଥ ଗଣତାନ୍ତ୍ରିକ ଧାରା ବିକାଶରେ ପ୍ରତିବନ୍ଧକ ସାଜୁଛି ।
ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ଓ ସୋସିଆଲ ମିଡ଼ିଆରେ ପ୍ରସାରିତ ଗଭୀର-ସ୍ଥାନୀୟ-ସମ୍ୱାଦ ପ୍ରସାର ଧାରାରେ କେତେକ ମୌଳିକ ପାର୍ଥକ୍ୟ ଆଲୋଚ଼ନା ପରିସରକୁ ଆସିଥାଏ । ପ୍ରଥମତଃ, ସମ୍ୱାଦପତ୍ରଗୁଡ଼ିକ ବୃତ୍ତିଧାରୀ ସାମ୍ୱାଦିକ ଓ ସମ୍ପାଦକଙ୍କ ଦ୍ୱାରା ପ୍ରଯୋଜିତ ହେଉଥିବା ହେତୁ ପରିବେଷିତ ସମ୍ୱାଦ ସତ୍ୟାସତ୍ୟ ପରଖିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଥାଏ । ସାମ୍ୱାଦିକମାନେ ଉଭୟ ସରକାରୀ ଓ ବେସରକାରୀ ଆନୁଷ୍ଠାନିକ ସୂତ୍ରଗୁଡ଼ିକ ସହ ଯୋଗାଯୋଗ ସ୍ଥାପନ କରି ତଥ୍ୟ ସଂଗ୍ରହ କରିଥାନ୍ତି । କିନ୍ତୁ ସୋସିଆଲ ମିଡ଼ିଆର ପୋଷ୍ଟଗୁଡ଼ିକ ସାଧାରଣ ନାଗରିକଙ୍କ ଦ୍ୱାରା ପ୍ରସାର ହେଉଥିବା ହେତୁ ଏହି ସୁବିଧା ସୁଯୋଗ ମିଳେ ନାହିଁ ।
ଦ୍ୱିତୀୟତଃ, ମୁଦ୍ରିତ ସମ୍ୱାଦପତ୍ରରେ କୌଣସି ବିବାଦୀୟ ଘଟଣାରେ ବିଭିନ୍ନ ପକ୍ଷର ଅଭିମତ ସ୍ଥାନ ପାଇଥାଏ । ଫଳରେ ପାଠକ ସବୁ ସୂତ୍ରକୁ ତର୍ଜମା କରି ନିଜସ୍ୱ ଦୃଷ୍ଟିକୋଣ ଶାଣିତ କରେ । କିନ୍ତୁ ସୋସିଆଲ ମିଡ଼ିଆରେ ବୈଷୟିକ କୌଶଳ ଉପଯୋଗ ଉପଭୋକ୍ତାଙ୍କ ରୁଚ଼ି ଓ ନିର୍ବାଚିତ ବନ୍ଧୁବର୍ଗଙ୍କ ପୋଷ୍ଟ ହିଁ ସଂପୃକ୍ତ ମଞ୍ଚରେ ପ୍ରଦର୍ଶିତ କରିଥାଏ । ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସୋସିଆଲ ମିଡ଼ିଆ ପୃଷ୍ଠା ଭିନ୍ନ ! ସ୍ଥଳବିଶେଷରେ ବିଜ୍ଞାପନ ଦେୟ ମାଧ୍ୟମରେ କେଉଁ ପୋଷ୍ଟ କେତେ ସଂଖ୍ୟାରେ ପ୍ରଦର୍ଶିତ ହେବ ନିର୍ଦ୍ଧାରିତ ହୋଇଥାଏ । ଫଳରେ ବାରମ୍ୱାର ବିଜ୍ଞପିତ ପୋଷ୍ଟ ସଂସ୍ପର୍ଶରେ ଆସି ଉପଭୋକ୍ତା ପ୍ରଭାବିତ ହୋଇଥାନ୍ତି । ଆନ୍ତର୍ଜାତିକସ୍ତରରେ ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ବ୍ରାଜିଲ ଭଳି ରାଷ୍ଟ୍ରଗୁଡ଼ିକରେ ନିର୍ବାଚନରେ ଧୃବୀକରଣ ‘ପୋଲରାଇଜେସନ’ ଏହି ଧାରାର ଜ୍ୱଳନ୍ତ ଉଦାହରଣ ।
ତୃତୀୟତଃ, ଗବେଷଣାରୁ ଜଣାଯାଇଛି ଯେ ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ଅଭାବ ପ୍ରଶାସନିକ କଳକୁ ଶୀଥିଳ କରିପକାଏ । ମୁଦ୍ରିତ ସମ୍ୱାଦପତ୍ରର ପ୍ରଭାବ ଡ଼ିଜିଟାଲ ମଞ୍ଚ କ୍ଷେତ୍ରରେ ସଂଭବ ହୋଇପାରୁନାହିଁ । ଜନଜୀବନ ସ୍ଥାନୀୟ ପରିବେଶ ଉପରେ ନିର୍ଭରଶୀଳ । ଜଳଯୋଗାଣ, ବିଦ୍ୟୁତ ବିତରଣ, ପରିମଳ, ରାସ୍ତାଘାଟ ଓ ସୁରକ୍ଷା ଭଳି ମୌଳିକ ସୁବିଧାସୁଯୋଗ ସ୍ଥାନୀୟ ପ୍ରଶାସନ ନିୟନ୍ତ୍ରଣ କରିଥାନ୍ତି । ଏହି କ୍ଷେତ୍ରରେ ତୃଟିବିଚ୍ୟୁତି ତୁରନ୍ତ ନସଂଭାଳି ପାରିଲେ ନାଗରିକଙ୍କ ଦୈନନ୍ଦିନ ଜୀବନରେ ବିଘ୍ନ ପହଞ୍ଚିଥାଏ । ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ଏହି ଭଳି ସୁବିଧାଅସୁବିଧା ବର୍ଣ୍ଣନାରେ ସ୍ଥାୟିତ୍ୱ କାରଣରୁ ପ୍ରଶାସନିକ ସୁଧାର ଦିଗରେ ଫଳପ୍ରଦ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆରେ କ୍ଷଣିକ ପ୍ରଦର୍ଶନ ଉପାଦେୟ ହୋଇପାରିନଥାଏ ।
କିନ୍ତୁ ମୂଳସ୍ରୋତର ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକରେ ବୃତ୍ତିଧାରୀ ସାମ୍ୱାଦିକମାନେ ବିଭିନ୍ନ କାରଣରୁ ଅସତ୍ୟ ଓ ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ସହ ସଂପୃକ୍ତ ରହିଲେ, ପକ୍ଷପାତିତାକୁ ସମର୍ଥନ କଲେ ଏବଂ ପ୍ରଶାସନର ଦୋଷଦୁର୍ବଳତାର ବିପରୀତ ଚ଼ିତ୍ର ଉପସ୍ଥାପନକୁ ଅଗ୍ରାଧୀକାର ଦେଲେ, ସମ୍ୱାଦ ପ୍ରସାରଣର ଗୁଣବତ୍ତା ସୋସିଆଲ ମିଡ଼ିଆର ପ୍ରାଦୁର୍ଭାବଠାରୁ ବଳିଯାଏ । ବିଡ଼ମ୍ୱନାର ବିଷୟ ମାନବ ସଭ୍ୟତା ଓ ବୈଷୟିକ ଦକ୍ଷତାର ପ୍ରଗତି ସତ୍ତ୍ୱେ ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆଦ୍ୟଭାଗରେ ଆନ୍ତର୍ଜାତିକସ୍ତରରେ ବହୁ ରାଷ୍ଟ୍ର ଏହିଭଳି ବିରୋଧାଭାସ ପରିବେଶର ସମ୍ମୁଖୀନ ହୋଇଛନ୍ତି ।
‘ଦି ଗାର୍ଡିଆନ’ ସମ୍ପାଦକୀୟରେ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ର ସଂଖ୍ୟା ହ୍ରାସ ନିମନ୍ତେ ସମ୍ୱାଦପତ୍ର ମାଲିକାନାକୁ ଦାୟୀ କରାଯାଇଛି । ବ୍ରିଟେନରେ ଦୁଇ-ତୃତୀୟାଂଶ ସମ୍ୱାଦପତ୍ର ତିନିଗୋଟି ବୃହତ ପ୍ରକାଶକଙ୍କ ଦ୍ୱାରା ପରିଚାଳିତ । ବିଭିନ୍ନ ଅଞ୍ଚଳରୁ ସ୍ଥାନୀୟ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକରେ ସେଠାକାର ସାମାଜିକ ଅବସ୍ଥା, ସାମୂହିକ ସ୍ୱାର୍ଥ ଓ ଆଶା-ଆକାଂକ୍ଷାର ସୁରକ୍ଷା ଲାଗି ଉଦବେଗ ବୃହତ ପ୍ରକାଶକଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରୁନାହିଁ । ଫଳରେ ସ୍ଥାନୀୟ ସମ୍ୱାଦ ପରିବେଷଣରେ ଗୁଣବତ୍ତା ହ୍ରାସ ପାଉଛି । ବୃହତ ପ୍ରକାଶକମାନେ ବ୍ୟାବସାୟିକ ଲାଭ ପ୍ରତି ଦୃଷ୍ଟିବଦ୍ଧ ରହୁଥିବା ହେତୁ ଲୋକାଭିମୁଖୀ ଆଭିମୁଖ୍ୟ ଗ୍ରହଣ କରିପାରୁନାହାନ୍ତି । ଏହା ପ୍ରକାରନ୍ତେ ଗଣତନ୍ତ୍ର ନିମନ୍ତେ ବିପଦ ସାଜୁଥିବା ଅନୁମେୟ ।
ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ମାଲିକାନା ସ୍ୱାଧୀନ ପ୍ରକାଶକଙ୍କ ଆୟତ୍ତାଧୀନ ନହେଲେ ସମ୍ୱାଦ ମଞ୍ଚ ସାମାଜିକ ବିକାଶ ଧାରାରେ ସାମିଲ ହୋଇପାରେ ନାହିଁ । ଠିକ ସେହିପରି ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରରେ ସମ୍ୱାଦ ପରିବେଷଣରେ ସାଧାରଣ ନାଗରିକଙ୍କୁ ଅନ୍ତର୍ଭୁକ୍ତ ନକରାଯାଇପାରିଲେ ଗଭୀର-ସ୍ଥାନୀୟ-ସମ୍ୱାଦ ସଂଗ୍ରହ ଫଳବତୀ ହୋଇନଥାଏ । ଅନଲାଇନ ସମ୍ୱାଦ ପରିବେଷଣ ଧାରା ପ୍ରସାର ପରେ ବୃତ୍ତିଧାରୀ ଓ ମୁକ୍ତ ବୃତ୍ତି ସାମ୍ୱାଦିକଙ୍କ ସହ ନାଗରିକ ସାମ୍ୱାଦିକଙ୍କ ଭୂମିକା ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକ ନିମନ୍ତେ ଅପରିହାର୍ଯ୍ୟ ହୋଇପଡ଼ିଛି । ଏହି କାରଣରୁ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ନାଗରିକ ସାମ୍ୱାଦିକତା ପ୍ରତି ଗୁରୁତ୍ୱ ଆରୋପ କରିବା ସମୟ ଉପନୀତ ବୋଲି କୁହାଯାଇପାରେ ।
ଗଭୀର-ସ୍ଥାନୀୟ-ସମ୍ୱାଦ ସଂଗ୍ରହ କ୍ଷେତ୍ରରେ ଆଧୁନିକ ନାଗରିକ ସାମ୍ୱାଦିକତା ମୁଖ୍ୟତଃ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ସୋସିଆଲ ମିଡ଼ିଆର ପ୍ରସାର କାଳରେ ବିକଶିତ । ସୋସିଆଲ ମିଡ଼ିଆରେ ବୃତ୍ତିଧାରୀ ଓ ମୁକ୍ତ ସାମ୍ୱାଦିକଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ସମ୍ୱାଦ ପ୍ରସାରଣ କଲେ, ସେମାନଙ୍କୁ ‘ନାଗରିକ ସାମ୍ୱାଦିକ’ ନାମିତ କରାଗଲା । ସମ୍ୱାଦ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ନିମନ୍ତେ କ୍ରମବିକଶିତ ସୋସିଆଲ ମିଡ଼ିଆର ମୁକାବିଲା ନିମନ୍ତେ ମୂଳସ୍ରୋତର ସମ୍ୱାଦପତ୍ରଗୁଡ଼ିକ କ୍ରମଶଃ ଗଭୀର-ସ୍ଥାନୀୟ ସମ୍ୱାଦ ସଂଗ୍ରହ ଓ ପ୍ରକାଶନ ପ୍ରତି ଗୁରୁତ୍ୱ ଆରୋପ କଲେ । ଏଥି ପୂର୍ବରୁ ଆଞ୍ଚଳିକସ୍ତରରେ ସାପ୍ତାହିକ, ପାକ୍ଷିକ ଓ ମାସିକଭିତ୍ତିରେ ସ୍ଥାନୀୟ ସମ୍ୱାଦ ସମୃଦ୍ଧ ମୁଦ୍ରିତ ସମ୍ୱାଦପତ୍ର ମୁଦ୍ରଣ କାରିଗରୀ କୌଶଳ ଆରମ୍ଭ କାଳରୁ ପ୍ରଚଳିତ ଥିଲା । ସେହି ପ୍ରକାଶନଗୁଡ଼ିକରେ ସ୍ଥାନୀୟ ନାଗରିକ ସମ୍ୱାଦ ପରିବେଷଣ କରିଆସୁଥିଲେ । ଆଧୁନିକ ପରିବେଶରେ ଏ ସମସ୍ତଙ୍କୁ ‘ନାଗରିକ ସାମ୍ୱାଦିକ’ ପର୍ଯ୍ୟାୟଭୁକ୍ତ କରାଯାଏ ।
ନାଗରିକ ସାମ୍ୱାଦିକମାନେ (୧) ନିର୍ଦି ସଷ୍ଟ ସୀମିତ ଭୌଗଳିକ ପରିସୀମାରେ ସମ୍ୱାଦ ସଂଗ୍ରହ କରନ୍ତି । (୨) ଏହି ଧରଣର ସମ୍ୱାଦ ମୌଳିକ । ଅର୍ଥାତ, ସାଧାରଣରେ ଅନ୍ୟ କୌଣସି ସାମ୍ୱାଦିକ, ଅନ୍ୟ କୌଣସି ମଞ୍ଚ ପ୍ରକାଶ କରିନଥାନ୍ତି । (୩) ଗଣମାଧ୍ୟମ ପରିଧିରେ ଅନାଲୋଚ଼ିତ ଘଟଣାକ୍ରମଗୁଡ଼ିକ ଗଭୀର-ସ୍ଥାନୀୟ-ସମ୍ୱାଦ ରୂପେ ନାଗରିକ ସାମ୍ୱାଦିକଙ୍କ ଦ୍ୱାରା ଚର୍ଚ୍ଚିତ ହୋଇଥାଏ । ନାଗରିକ ସାମ୍ୱାଦିକମାନେ ମୁଖ୍ୟତଃ (୧) ଘଟଣା ‘ହାର୍ଡ ନିଉଜ’ ବଦଳରେ ସମ୍ୱେଦନଶୀଳ ପ୍ରସଙ୍ଗ ‘ସଫଟ ନିଉଜ’କୁ ପ୍ରାଧାନ୍ୟ ଦେଇଥାନ୍ତି । ଉଦାହରଣରେ ଚୋରିହାରି, ଦୁର୍ଘଟଣା ବଦଳରେ ଜନଜୀବନରେ ଦୈନନ୍ଦିନ ଘଟଣାବଳୀରୁ ସମ୍ୱାଦସୂତ୍ର ଖୋଜିଥାନ୍ତି । (୨) ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତିଗତ ଅଭିଜ୍ଞତା ଓ ଖୋଜଖବରରୁ ପ୍ରାପ୍ତ ତଥ୍ୟ ଆଧାରରେ ସମ୍ୱାଦ ରଚ଼ନା କରିଥାନ୍ତି । କାରଣ ବୃତ୍ତିଧାରୀ ସାମ୍ୱାଦିକଙ୍କ ଭଳି ନାଗରିକ ସାମ୍ୱାଦିକଙ୍କୁ ପୋଲିସ, ପଦସ୍ଥ ସରକାରୀ କର୍ମଚାରୀ ସାମ୍ୱାଦିକ ମାନ୍ୟତା ଦେଇ ନଥାନ୍ତି । (୩) ନାଗରିକ ସାମ୍ୱାଦିକଙ୍କ ଦ୍ୱାରା ପ୍ରସ୍ତୁତ ସମ୍ୱାଦ କେବଳ ଗୋଟିଏ ସୂତ୍ର ଉପରେ ଆଧାରିତ ହୋଇଥାଏ ।
ଗଭୀର-ସ୍ଥାନୀୟ-ସମ୍ୱାଦ ସମକାଳରେ ଉପଭୋକ୍ତାଙ୍କ ସମ୍ୱାଦ ବିମୁଖ ଆଚ଼ରଣରେ ପରିବର୍ତ୍ତନ ଆଣିବା ଆଶା କରାଯାଏ । ଓଡ଼ିଆ ସାମ୍ୱାଦିକତା ପରିସରରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ସମ୍ୱାଦପତ୍ରଗୁଡ଼ିକ ନାଗରିକ ସାମ୍ୱାଦିକତାକୁ ଗୁରୁତ୍ୱ ଦେଲେ ସେମାନଙ୍କ ସମ୍ୱାଦପତ୍ରର ଗୁଣାତ୍ମକ ବିକାଶ ସଂଭବ । ଏହି ଦିଗରେ ଉଦ୍ୟମ ଗ୍ରାହକ ସଂଗ୍ରହ, ପ୍ରତିପତ୍ତି ବୃଦ୍ଧି ଓ ସର୍ବୋପରି ସାମାଜିକ ପ୍ରଗତିରେ ସହଭାଗିତାର ପ୍ରମାଣ ମିଳିଥାଏ । ମୁଦ୍ରିତ ସମ୍ୱାଦପତ୍ର ପ୍ରଯୋଜନା ଖର୍ଚ୍ଚ ବୃଦ୍ଧି, ସୋସିଆଲ ମିଡ଼ିଆ ପକ୍ଷରୁ ବିକଳ୍ପ ସମ୍ୱାଦ ମଞ୍ଚ ପ୍ରସ୍ତୁତି ଓ ଅନିଶ୍ଚିତ ବ୍ୟାବସାୟିକ ଭବିଷ୍ୟତର ମୁକାବିଲା କରିବା ନିମନ୍ତେ ପଛୁଆ ବର୍ଗରେ ରହିଆସିଥିବା ସମ୍ୱାଦ ମଞ୍ଚଗୁଡ଼ିକ ସୁଚ଼ିନ୍ତିତ ଯୋଜନାବଦ୍ଧ ଉଦ୍ୟମ କରିବା ସମୟ ଉପନୀତ ।
ସ୍ଥାନୀୟ-ସମ୍ୱାଦ-ବିକାଶ ଅଭିଯାନ ରୂପାୟନକଳ୍ପେ ଏକ ଦୈନିକ ଓଡ଼ିଆ ସମ୍ୱାଦପତ୍ରକୁ ଉଦାହରଣ ରୂପେ ଗ୍ରହଣକରି ପ୍ରସ୍ତୁତ ୧୬ ପୃଷ୍ଠାର ନମୂନା ପ୍ରସ୍ତାବିତ ମାର୍ଗଦର୍ଶିକା ଡ଼ାଉନଲୋଡ଼ କରିବା ନିମନ୍ତେ ଆଗ୍ରହୀ ସମ୍ୱାଦକର୍ମୀ ଓ ସମ୍ୱାଦ ମଞ୍ଚ ପ୍ରାୟୋଜକଗଣ ନିମ୍ନ ପ୍ରଦତ୍ତ ଲିଙ୍କ ପରିଦର୍ଶନ କରନ୍ତୁ :