Share this :

ବିଶାଳ ଭାରତ ବର୍ଷରେ ଭାଷାରେ ଯେପରି ଭିନ୍ନତା ରହିଛି ଖାଦ୍ୟରେ ମଧ୍ୟ ବିବିଧତା ଭରି ରହିଛି । ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟରେ ଥାଏ ସେହି ରାଜ୍ୟର ଭିନ୍ନ ଏକ
ମହକ ଓ ଭିନ୍ନ ଏକ ସ୍ୱାଦ । ବିଶ୍ୱ ଦରବାରରେ ଓଡିଆ ମାନଙ୍କର ଯଦି କିଛି ସ୍ୱତନ୍ତ୍ର ପରିଚୟ ଥାଏ ତାହା ହେଉଛି ବଡଦେଉଳ ଆଉ ଓଡିଆମାନଙ୍କର ଅତି ପ୍ରିୟ ପଖାଳକୁ ନେଇ । ପଖାଳ କହିଲେ ଓଡ଼ିଶାର ସଂସ୍କୃତିକୁ ବୁଝାଏ । ପଖାଳ ଓଡ଼ିଶାର ପରିଚୟ । କାହିଁ କେତେ କାଳରୁ ପଖାଳ ସହିତ ଓଡ଼ିଆମାନଙ୍କର ରହି ଆସିଛି ଭାବଗତ ସମ୍ପର୍କ ।

ପଖାଳ ଶବ୍ଦ ପାଲି ଭାଷା ପଖାଳିବା ରୁ ଆସିଛି । ଯାହାର ଅର୍ଥ ଧୋଇବା । ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି । ବିଭିନ୍ନ ରାଜ୍ୟରେ ପଖାଳକୁ ଭିନ୍ନ ଭିନ୍ନ ନାମରେ ସମ୍ଭୋଧନ କରାଯାଇଥାଏ । ଆସାମରେ ଏହାକୁ ପୋଇତାଭାତ, ଛତିଶଗଡରେ ପଖାଳ ବା ବୋରେ ଭାତ,ପଶ୍ଚିମବଙ୍ଗରେ ପାନ୍ତା ଭାତ, ତାମିଲନାଡୁରେ ବଖାଳବାତ କୁହାଯାଇଥାଏ । ଓଡ଼ିଆ ଓ ପଖାଳ ଅଭିନ୍ନ । ଏହା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶ । ପଖାଳ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ । ଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱଚ୍ଛଳବର୍ଗର ଲୋକଙ୍କ ଯାଏ ସମସ୍ତେ ପଖାଳକୁ ଭଲ ପାଇଥାନ୍ତି । ସେଥିପାଇଁ ଓଡ଼ିଶାର ପଖାଳ ପାରମ୍ପରିକ ଖାଦ୍ୟ ଭାବେ ପରିଚିତ । ଖରିଦିନେ ପେଟରେ ପଖାଳ ଗଣ୍ଡେ ପଡିଗଲେ ଯେଉଁ ଆତ୍ମତୃପ୍ତି ମିଳେ ତାର ଅନୁଭୂତି ନିଆରା ।

ଖାଦ୍ୟ ବିଷାରଦଙ୍କ ମତରେ ବିଶ୍ୱର ଅନ୍ୟ ପ୍ରାନ୍ତ ତୁଳନାରେ ଭାରତୀୟ ଲୋକେ ହିଁ ଚାଉଳ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ଖାଇଥାନ୍ତି । ଚାଉଳକୁ ବ୍ୟବହାର କରି ଭାରତରେ ଦଶ ହଜାରରୁ ଅଧିକ ବ୍ୟଞନ ପ୍ରସ୍ତୁତ କରାଯାଇପାରେ । ବାସି ଭାତରୁ ପ୍ରସ୍ତୁତ ପଖାଳ ସେଥି ମଧ୍ୟରୁ ଅନ୍ୟତମ । ହିନ୍ଦୁ ପରମ୍ପରାରେ ପଖାଳ କଂସାର ଅନେକ ତାତ୍ପର୍ଯ୍ୟ ରହିଛି । ଉସୁନା ପଖାଳ ଅପେକ୍ଷା ଅରୁଆ ପଖାଳର ସ୍ୱାଦ ନିଆରା । ଅରୁଆ ପଖାଳକୁ ଆହୁରି ସ୍ୱାଦିଷ୍ଟ କରିଥାଏ ଦହି,ଆମ୍ବ କସିଆ ଅଦା, ପୋଦିନା ପତ୍ର । ଏବେ ଆମ୍ବ ଋତୁ ଆସିଥିବାରୁ ଆମ୍ବ ନସି ଦହି, ଅଦା ଉଷୁନା ପଖାଳରେ ମିଶାଇଲେ ତାର ସ୍ୱାଦ ବଢିଯାଏ । ନିରାମିଷ ଖାଉଥିବା ଲୋକେ ପଖାଳ ସହ ଆଳୁ ଭେଣ୍ଡି ଭଜା, ବଡିଚୁରା, ଆଳୁଚଟଣି, ବାଇଗଣ ଭରତା, ଟମାଟୋ କାକୁଡି ସାଲାଡ, କଖାରୁ ଫୁଲ ପିଠା, କଲରା ଭଜା ଆଦି ସୁସ୍ୱାଦୁ ବ୍ୟଞ୍ଜନ ପସନ୍ଦ କରୁଥିବା ବେଳେ ଆଇଁଷ ପ୍ରିୟମାନେ ଚୁନାମାଛ ଭଜା, ଛୋଟ ଚିଙ୍ଗୁଡି ଭଜା, ଶୁଖୁଆ, ପୋହଳା ମାଛ ଗୋଟା ବେସର, ରୋହି ମାଛ ଭଜା ଭାରି ଭଲ ଲାଗେ । ।

Share this :

Leave a Reply

Your email address will not be published. Required fields are marked *