ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ ଘଟି ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଆଜି ଏପରି ଅଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ। ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତମାନଙ୍କ ପରିଚୟ ମିଳିନାହିଁ।
ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁର ଏକ ଘରେ ବାଣ ପ୍ରସ୍ତୁତି ହେଉଥିଲା। ଆଜି ସକାଳେ ହଠାତ୍ ସେହି ଘରେ ବାଣ ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା। ନିଆଁ ଚାରିଆଡ଼େ ବ୍ୟାପିଯିବା ସହ ଘର ଭିତରେ ଥିବା ବାଣ ଗୁଡ଼ିକ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ସେହି ଘରେ ଫଶି ରହିଥିବା ୮ଜଣ ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ନିଆଁରେ ପୋଡ଼ିହୋଇ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଥିଲେ। ବିସ୍ପୋରଣରେ ଘରର ଛାତଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ବାଣ ପ୍ରସ୍ତୁତ ବେଳେ ଘରେ କେଉଁ କାରଣ ଯୋଗୁ ନିଆଁ ଲାଗି ବିସ୍ଫୋରଣ ହେଲା ତାର କାରଣ ଜଣାପଡ଼ିନାହିଁ। ଘରେ ଅଧିକ ପରିମାଣରେ ବାଣ ରଖିବା ଯୋଗୁ ଏପରି ଘଟିଲା ନା ବାଣ ପ୍ରସ୍ତୁତ ବେଳେ ଅସାବଧାନ ଯୋଗୁ ବିସ୍ଫୋରଣ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।